୭ ଦିନ ଧରି ଚାଲିବ ମା’ ଗଜଲକ୍ଷ୍ମୀଙ୍କ ପୂଜା, ଭଜନ ସନ୍ଧ୍ୟାରୁ ମିନାବଜାର ଯାଏଁ ଜମିବ ଆସର
ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବ ମା’ ଗଜଲକ୍ଷ୍ମୀଙ୍କ ଭବ୍ୟ ପୂଜା ଉତ୍ସବ। ଭୁବନେଶ୍ୱର ଉତ୍ତର ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଅକ୍ଟୋବର ୨୫ ତାରିଖ ରବିବାରଠାରୁ ଆରମ୍ଭ ହେବାକୁ ଥିବା ଏହି ଉତ୍ସବ ସାତ ଦିନ ଧରି ଚାଲିବ। ବୈଦିକ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯିବ। ଚଳିତ ବର୍ଷ ୮୦ ଫୁଟ୍ ଉଚ୍ଚତା ବିଶିଷ୍ଟ ବିଶାଳ ମା’ ଗଜଲକ୍ଷ୍ମୀଙ୍କ ମୂର୍ତ୍ତି ଉତ୍ସବର ପ୍ରମୁଖ ଆକର୍ଷଣ ପାଲଟିବ।
ଭଜନ, ସଙ୍ଗୀତ ଓ ନୃତ୍ୟରେ ମନୋରଞ୍ଜନ
ପୂଜା ଅବସରରେ ପ୍ରତିଦିନ ଆୟୋଜିତ ହେବ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ। ଅନ୍ତରା ଚକ୍ରବର୍ତ୍ତୀ, ଦୀପ୍ତିରେଖା ଓ ଲିପ୍ସା ମହାପାତ୍ରଙ୍କ ସଙ୍ଗୀତ ପରିବେଷଣ ସହ ଭଜନ ସନ୍ଧ୍ୟା ଦର୍ଶକଙ୍କୁ ଆକର୍ଷିତ କରିବ। ଏଥିସହ ସୂର୍ଯ୍ୟା ଡ୍ୟାନ୍ସ ଗ୍ରୁପ୍ର ନୃତ୍ୟ ପରିବେଷଣ ଏବଂ ଜେସିକା ଲାଇଭ୍ ବ୍ୟାଣ୍ଡ୍ର କାର୍ଯ୍ୟକ୍ରମ ମଧ୍ୟ ରହିଛି।
ମିନାବଜାର ସାଙ୍ଗକୁ ଦୋଳିର ମଜା
ପୂଜାମଣ୍ଡପରେ ମିନାବଜାର, ବିଭିନ୍ନ ପ୍ରକାର ଦୋଳି ଓ ଅନ୍ୟାନ୍ୟ ମନୋରଞ୍ଜନ ବ୍ୟବସ୍ଥା ରହିବ। ଶ୍ରଦ୍ଧାଳୁଙ୍କ ପାଇଁ ପ୍ରତିଦିନ ମାଗଣା ଅନ୍ନପ୍ରସାଦ ବଣ୍ଟନ କରାଯିବ। ଆକର୍ଷଣୀୟ ଆଲୋକମାଳାରେ ସଜ୍ଜିତ ହେବ ପୂଜାମଣ୍ଡପ।
କେଉଁଠି ହେବ ପୂଜା?
ସ୍ଥାନ: କ୍ଲବ୍ ଟାଉନ୍ ପଡ଼ିଆ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର।
ସାତଦିନିଆ ଏହି ଉତ୍ସବକୁ ସୁନ୍ଦର ଓ ସୁବ୍ୟବସ୍ଥିତ କରିବା ପାଇଁ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ମା’ଙ୍କ ଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।


